ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ତା. ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଓଡ଼ିଶାରେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରେ ତା. ୩୦.୦୫.୨୦୨୬ରୁ ତା. ୨୮.୦୬.୨୦୨୬ ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି । ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହିଳା ବୁଥ୍ ଲେଭେଲ ଅଫିସର ମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ପ୍ରଦର୍ଶନ କରାଯାଇଥିଲା। ସେହିପରି ସାଧାରଣ ଜନତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲୋକକଳା ଆଧାରିତ ଦାସକାଠିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆସିଥିବା ଜନସାଧାରଣ ଏହାକୁ ଭରପୂର ପ୍ରଶଂସା କରିଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ମଧୁମିତା ରଥଙ୍କ ପଦକ୍ଷେପ କ୍ରମେ ଏଭଳି ସଚେତନତା କାର୍ଯ୍ୟକ୍ରମ ତା. ୧୧.୦୬.୨୦୨୬ ଠାରୁ ଜିଲ୍ଲାର ସମସ୍ତ ବ୍ଲକରେ ଆୟୋଜନ କରାଯିବ। ଏହା ଦ୍ୱାରା ଭୋଟରମାନେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅଧିକ ସଚେତନ ହେବା ସହ ଜିଲ୍ଲାରେ ଏକ ସ୍ୱଚ୍ଛ, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିପାରିବେ । ଜିଲ୍ଲାର ସମସ୍ତ ଭୋଟର, ବୁଥ୍ ଲେଭେଲ ଅଫିସର, ବୁଥ୍ ଲେଭେଲ ଏଜେଣ୍ଟ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସଂଶୋଧନ ଅଭିଯାନରେ ସକ୍ରିୟ ସହଯୋଗ କରିବା ସହ ସଠିକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି !
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

