ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେଲେ ସୁଜାତା ରାଉତ ! ଏଣ୍ଟ୍ରିରେ କଲେ କମାଲ , ତେବେ ସବୁରି ମନରେ ଗୋଟିଏ କଥା – କଣ ରହିଛି ପ୍ଲାନ , ଆଗକୁ କଣ ହେବ ଆକ୍ସନ ! ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତାଙ୍କୁ ଦଳରେ ସାମିଲ କରାଯାଇଛି ! ତେବେ ଦଳରେ ବିଦ୍ରୋହର ଭୟ ଓ ଓଡ଼ିଶାବାସୀଙ୍କ ମଧ୍ୟରେ ଗ୍ରହଣୀୟତା ନହେବାର ଆଶଙ୍କା କରି ବିଜେଡି ସୁପ୍ରିମୋ ଦୁଇଟି ପ୍ରମୁଖ ଘୋଷଣା କରିଛନ୍ତି – ଶଙ୍ଖ ଭବନରେ ସୁଜାତାଙ୍କୁ ଦଳରେ ସାମିଲ କରି ନବୀନ ଦଳୀୟ ନେତା-କର୍ମୀ ଓ ପରେ ନବୀନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ରାଉତଙ୍କୁ ଦଳରେ ସ୍ୱାଗତ କରୁଛି। ଆଗାମୀ ସାଧାରଣ ନିର୍ବାଚନ ତାଙ୍କ ନେତୃତ୍ୱରେ ବିଜେଡି ଲଢ଼ିବ ବୋଲି ସେ ସ୍ପଷ୍ଟ କରିବା ସହ ସୁଜାତା ଜଣେ ଦକ୍ଷ ଆଇଏଏସ୍ ଅଫିସର ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି। ସମୟ ବିତିବା ସହ ନିଜର ଏହି ରାଜନୀତିକ କ୍ଷେତ୍ରର ନୂଆ ଦାୟିତ୍ୱରେ ସେ ଅଭ୍ୟସ୍ତ ହେବେ ଓ ବିଶେଷକରି ମହିଳାମାନଙ୍କ ବିକାଶ ପାଇଁ କାମ କରିବେ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି ।

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାତ୍ତିକେୟନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖଭବନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ କରିଛନ୍ତି। ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଦଳରେ ବିଦ୍ରୋହର ଭୟ ଓ ଓଡ଼ିଶାବାସୀଙ୍କ ମଧ୍ୟରେ ଗ୍ରହଣୀୟତା ନହେବାର ଆଶଙ୍କା କରି ବିଜେଡି ସୁପ୍ରିମୋ ଆଜି ଦୁଇଟି ପ୍ରମୁଖ ଘୋଷଣା କରିଛନ୍ତି ଯାହାକି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇ ଦେଇଛି। ଆଉ ବିଜେଡିରେ ଯେ ସବୁକିଛି ଠିକ୍ ନାହିଁ ତାହା ପରୋକ୍ଷରେ ନବୀନ ହିଁ ପ୍ରମାଣିତ କରିଛନ୍ତି ।

