ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଆହ୍ୱାନ କ୍ରମେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଆଜି ସପ୍ତମ ଦିବସରେ ଉପନୀତ । ତୁହାକୁ ତୁହା ବର୍ଷା, ବିଜୁଳି, ଘଡ଼ଘଡ଼ି ଓ ଥଣ୍ଡା ପବନକୁ ଖାତିର ନକରି ରାଜଧାନୀର ରାଜରାସ୍ତାରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ନିଜର ହକ୍ ପାଇଁ ଦିନ ରାତି ପଡ଼ିରହିଛନ୍ତି । ସରକାର ତୁରନ୍ତ ସମସ୍ୟା ସମାଧାନ କରନ୍ତୁ ବୋଲି ସମନ୍ବୟ ସମିତିର ଆବାହକ ଗଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃରି ମାଧ୍ଯମରେ ଜଣାଇଛନ୍ତି । ଶ୍ରୀ ଦାଶ ଆହୁରି ମଧ୍ୟ କହିଛନ୍ତି ସରକାର ବାରମ୍ବାର ସ୍ଥାୟୀ ସମାଧାନ କଥା କହୁଥିଲେ ମଧ୍ୟ ତାହା କେବଳ କଥାରେ ରହିଛି । ସମାନ କଥା ପାଇଁ ଶିକ୍ଷକ କର୍ମଚାରୀମାନଙ୍କୁ ବାରମ୍ବାର ଆନ୍ଦୋଳନ କରିବାକୁ ରାଜରାସ୍ତାକୁ ଆସିବାକୁ ପଡ଼ୁଛି ।
ସୂଚନାଥାଉକି, ଆଜକୁ ୩୦ ବର୍ଷ ଧରି ଅନୁଦାନ ଯୋଗ୍ୟ ସ୍କୁଲ କଲେକ ଗୁଡ଼ିକରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନେ ମାଗଣାରେ ଖଟୁଛନ୍ତି ଏବଂ ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରୁ ବିନା ପେନସନ୍ରେ ଶୂନ୍ୟ ହସ୍ତରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଉଛରି । ୩୦-୩୫ ବର୍ଷ ଧରି ଶିକ୍ଷାଦାନ କଲାପରେ ଶିକ୍ଷକ କର୍ମଚାରୀଟିଏ ରିକ୍ତହସ୍ତରେ ଘରକୁ ଫେରୁଛି । ସେମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି ହୋଇଆସୁଛି । ସରକାର ମଧ୍ୟ ବାରମ୍ବାର ଏହା କରିବାକୁ ପ୍ରତିଶ୍ରୁତି ଦେଉଛତି କିନ୍ତୁ କରୁ ନାହାନ୍ତି । ଧୀରେ ଧୀରେ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜଗୁଡ଼ିକ ଶିକ୍ଷକ ଶୂନ୍ୟ ହେଲାଣି । ଏହି ବିଦ୍ୟାଳୟରେ ନିଯୁକ୍ତି ନହେଲେ ଏଗୁଡ଼ିକ ବନ୍ଦ ହୋଇଯିବ । ଏକଥା ସରକାରଙ୍କୁ ବହୁବାର ଅବଗତ କରାଯାଇଛି । ତଥାପି ସରକାର କମିଟି ନାମରେ ନୀରବ ରହିବା ସମସ୍ତଙ୍କୁ ବିସ୍ତ୍ରୁତ କରୁଛି ବୋଲି ସମନ୍ବୟ ସମିତି ପକ୍ଷରୁ କୁହାଯାଇଛି । ଏଥିସହିତ ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ କଲେଜକୁ ତୁରନ୍ତ ଅନୁଦାନ ପ୍ରଦାନ, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ଭାବଳୀ ସହିତ ପେନ୍ସନ୍ ପ୍ରଦାନ କରିବା, ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଯୁକ୍ତି, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା, ଗ୍ରେଡ଼ପେରେ ଥିବା ଅସଙ୍ଗତି ଦୂରକରିବା, ଚୁକ୍ତିଭିରିଜ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ କରିବା ଏବଂ ରାଜ୍ୟର ବେସରକାରୀ ଓ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଇତ୍ୟାଦି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ହୋଇ ଆସୁଛି । ଏହିପରି ଅନେକ ସମସ୍ୟା ସମ୍ପର୍କରେ ସମନ୍ୱୟ ସମିତି ତରଫରୁ ବହୁବାର ଆଲୋଚନା କରାଗଲେ ମଧ୍ଯ ତା’ର କୌଣସି ସୁଫଳ ମିଳୁ ନାହିଁ । ।
ସରକାର ଆପେଣେଇ ଚାଲିଥିବା କାଳକ୍ଷେପଣ ନୀତି ବିରୁଦ୍ଧରେ ଏହି ଆନ୍ଦୋଳନ ଚାଲୁ ରହିଛି । ଆଉ ସରକାର ଯଦି ହେୟ ମନେକରି ଶିକ୍ଷକମାନଙ୍କର ଦାବିଗୁଡ଼ିକ ପ୍ରତି ଅଣଦେଖା କରନ୍ତି ଓ ସମସ୍ୟାର ସ୍ଥାୟୀ ସମାଧାନ ନକରି ସାମାଜିକ ଅପରାଧ କରି ଚାଲନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ସମନ୍ବୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ଵର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ।

