ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ଦେବୀ ପ୍ରସାଦ ମିଶ୍ର : ଭାରତବର୍ଷର ଅନ୍ୟତମ କନିଷ୍ଠତମ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଯାପନୀ କାର୍ଯ୍ୟକ୍ରମ ତାଙ୍କ ଜନ୍ମପୀଠ ନୀଳକଣ୍ଠପୁର (ଭୁବନ,ଢେଙ୍କାନାଳ)ଠାରେ ଏଆଇଡିଏସଓ, ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧା ଓ ଉତ୍ସାହ ସହକାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ନୀଳକଣ୍ଠପୁରସ୍ଥିତ ଶହୀଦ ବାଜି ରାଉତ ସ୍ମୃତିପୀଠରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଙ୍ଗଠନର ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ବିନୋଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପସଭାପତି ଭାଗ୍ୟରବି ଦାସ,ନିରୂପମା ବେହେରା,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ,ସଂଯୁକ୍ତା ସାହୁ, ନାରାୟଣ ନାୟକ,ରାଜ୍ୟ କମିଟି ସଦସ୍ୟା ଭାଗ୍ୟଶ୍ରୀ ପ୍ରଧାନ, ଶୁଭସ୍ମିତା ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶହୀଦଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ସଭା ପ୍ରାରମ୍ଭରେ ବାଜି ରାଉତଙ୍କ ବୀରତ୍ୱ ଓ ସଂଗ୍ରାମ ଉପରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।ସଭାରେ ଉଦ୍ବୋଧନ ଦେଇ ନେତୃବୃନ୍ଦ କହିଥିଲେ ଯେ,ମାତ୍ର ବାର ବର୍ଷ ବୟସରେ ବ୍ରିଟିଶ ଗୁଳି ଆଗରେ ଛାତି ପତାଇ ବାଜି ରାଉତ ଯେଉଁ ଅଦମ୍ୟ ସାହସ ଓ ଦେଶପ୍ରେମର ନିଦର୍ଶନ ଦେଖାଇଥିଲେ, ତାହା ଆଜିର ଯୁବ ଓ ଛାତ୍ର ସମାଜ ପାଇଁ ଚିର ପ୍ରେରଣାର ଉତ୍ସ।ଏହି ସ୍ମୃତିପୀଠରୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇ କୁହାଯାଇଥିଲା ଯେ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟପୁସ୍ତକରେ ଶହୀଦ ବାଜି ରାଉତଙ୍କ ବୀରତ୍ୱପୂର୍ଣ୍ଣ ସଂଗ୍ରାମ ତଥା ଭାରତର ସ୍ୱାଧୀନତା ଆନ୍ଦୋଳନର ଅବିକଳ ଓ ପ୍ରକୃତ ଇତିହାସ ସ୍ଥାନିତ କରାଯାଉ।ଏଥିସହ ରାଜ୍ୟର ବିଭିନ୍ନ ସ୍କୁଲ,କଲେଜ,ବିଶ୍ୱବିଦ୍ୟାଳୟ ଓ ପ୍ରମୁଖ ଛକବଜାରରେ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଏବଂ ନୂତନ ପିଢ଼ିଙ୍କ ମଧ୍ୟରେ ସଂଗ୍ରାମୀ ଚେତନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ତାଙ୍କ ଜୀବନ ସଂଗ୍ରାମ ଉପରେ ଚର୍ଚ୍ଚା କରିବାକୁ ସରକାରଙ୍କ ପାଖରେ ଦାବି ଜଣାଯାଇଥିଲା ବୋଲି ସ୍ୱାଧୀନ ସମ୍ବାଦଦାତା ତଥା ମିଡ଼ିଆ ପ୍ରଭାରୀ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ।
ଏଆଇଡିଏସଓ ପକ୍ଷରୁ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ !!!

