ବାଲୁଗାଁ ମହାବିଦ୍ୟାଳୟରେ ‘ବନ୍ଦେ ମାତରମ୍’ର ଦାର୍ଶନିକ ପ୍ରତିଫଳନ ଶୀର୍ଷକ ଆଲୋଚନାଚକ୍ର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ଦାର୍ଶନିକ ପ୍ରତିଫଳନ ଶୀର୍ଷକ ଏକ ଆଲୋଚନାଚକ୍ର ମଙ୍ଗଳବାର ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଅନୁଷ୍ଠିତ ହୋଇଯାଇଛି। ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଦର୍ଶନ ବିଭାଗ ମୁଖ୍ୟ ରମାକାନ୍ତ ନନ୍ଦ ମୁଖ୍ୟ ଅତିଥି ଏବଂ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ବନ୍ଦେ ମାତରମ୍’ର ଦାର୍ଶନିକ, ନୈତିକ ଓ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମବେତ ଭାବେ ରାଷ୍ଟ୍ରୀୟ ଗୀତ ଓ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ଦର୍ଶନ ବିଭାଗ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ଡ. ମନସ୍ୱିନୀ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆଲୋଚନାଚକ୍ରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାର୍ଶନିକ ଓ ସାମାଜିକ ପ୍ରସଙ୍ଗ ଉପରେ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଛାତ୍ରୀ ସରସ୍ୱତୀ ଘଟୁଆଳି ‘ବନ୍ଦେ ମାତରମ୍ ଗୀତରେ ଦାର୍ଶନିକ ବିଶ୍ଳେଷଣ ଓ ପ୍ରତିଫଳନ ସନ୍ଧ୍ୟାରାଣୀ ପାଇକରାୟ ବନ୍ଦେ ମାତରମ୍ ଗୀତରେ ଭାରତୀୟ ଦର୍ଶନର ସ୍ପନ୍ଦନ ଲକ୍ଷ୍ମୀପ୍ରିୟା ପ୍ରଧାନ ରାଷ୍ଟ୍ରୀୟ ଗୀତ ଓ ରାଷ୍ଟ୍ରୀୟ ସଙ୍ଗୀତର ତୁଳନାତ୍ମକ ଅଧ୍ୟୟନ ରୁପାଲୀ ଜେନା ‘ବନ୍ଦେ ମାତରମ୍ ଗୀତରେ ପରିବେଶୀୟ ଚେତନା ସୋନାଲି ବିଶ୍ୱାସ ବନ୍ଦେ ମାତରମ୍ ଗୀତ ଓ ଶ୍ରୀଅରବିନ୍ଦଙ୍କ ବନ୍ଦେ ମାତରମ୍ ପତ୍ରିକାର ପ୍ରତିଫଳନ’ ଏବଂ ଝରଣା ବେହେରା ରାଷ୍ଟ୍ରୀୟ ଗୀତରେ ଦେଶପ୍ରେମର ଆହ୍ୱାନ ଆଦି ବିଷୟ ଉପରେ ନିଜର ଦାର୍ଶନିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ରମାକାନ୍ତ ନନ୍ଦ ନିଜ ବକ୍ତବ୍ୟରେ ‘ବନ୍ଦେ ମାତରମ୍’ ରାଷ୍ଟ୍ରୀୟ ଗୀତିକା ‘ବନ୍ଦେ ମାତରମ୍’ ନାରା ଏବଂ ‘ବନ୍ଦେ ମାତରମ୍’ ପତ୍ରିକା ଭାରତୀୟ ଜାତୀୟ ସଂଗ୍ରାମର ରୂପରେଖା ପରିବର୍ତ୍ତନ ସହ ଜନସାଧାରଣଙ୍କ ବୌଦ୍ଧିକ ଓ ଆତ୍ମିକ ଉତ୍ତରଣରେ କିପରି ପ୍ରଭାବ ପକାଇଥିଲା, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ‘ବନ୍ଦେ ମାତରମ୍’ ଗୀତର ଭିତ୍ତିଭୂମି ସମ୍ପର୍କରେ ନିଜର ମତ ରଖିଥିଲେ। ଦର୍ଶନ ବିଭାଗ ମୁଖ୍ୟ ଡ. କୈଳାସ ଚନ୍ଦ୍ର ମହାରଣା ‘ବନ୍ଦେ ମାତରମ୍’ ଗୀତିକାକୁ ଦେଶଭକ୍ତି ଓ ଧର୍ମନିରପେକ୍ଷତାର ଏକ ମନ୍ତ୍ର ଓ ସ୍ପନ୍ଦନ ତଥା ଭାରତ ମାତାଙ୍କ ପ୍ରତି ଯଥାର୍ଥ ବନ୍ଦନା ଭାବେ ଅଭିହିତ କରିଥିଲେ। ଶେଷରେ ଛାତ୍ର ସୁଶୀଲ ମାଝି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ଅଧ୍ୟାପକ ପ୍ରବୀଣ ଜେନା, ଅଧ୍ୟାପିକା ରୀନା ରାଉତଙ୍କ ସମେତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *