ବାଣପୁର ପଲଟଣ ପଡ଼ିଆରେ ଆୟୋଜିତ ହେବ ଗଜଲକ୍ଷ୍ମୀ ପୂଜା ମହୋତ୍ସବ : ଜମିବ ମୀନାବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଚଳଚଞ୍ଚଳ ହୋଇଉଠିବ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର। ବାଣପୁର ପଲଟଣ ପଡ଼ିଆଠାରେ ଶ୍ରୀ ଶ୍ରୀ ମା’ ଗଜଲକ୍ଷ୍ମୀ ପୂଜା କମିଟି, ପାର୍କ ବଜାର ଆନୁକୂଲ୍ୟରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ପୂଜାର୍ଚ୍ଚନା ସହ ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ। ଆସନ୍ତା ଅକ୍ଟୋବର ୨୫ ତାରିଖରୁ ମା’ଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହୋତ୍ସବ ଅବସରରେ ୨୬ ତାରିଖରେ ଆଇକନ୍ ଡାନ୍ସ ଏକାଡେମୀ, ବାଲୁଗାଁ-ବାଣପୁରର ଶିଶୁ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ ଓ ୨୭ ଓ ୨୮ ତାରିଖରେ ରାମ ନାଟକ, ୨୯ ଓ ୩୦ ତାରିଖରେ ଭଜନ ସନ୍ଧ୍ୟା ଏବଂ ୩୧ ତାରିଖରେ କୁନି ପ୍ରବଚକ କେଶବ ଦାସଙ୍କ ପ୍ରବଚନ ଏବଂ ନଭେମ୍ବର ୧ ତାରିଖରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ।
ଅନ୍ୟପକ୍ଷରେ, ପଲଟଣ ପଡ଼ିଆରେ ମୀନାବଜାର ଆୟୋଜନ ହେବାକୁ ଥିବାରୁ ମହୋତ୍ସବ ସମୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମନୋରଞ୍ଜନର ସୁଯୋଗ ସୃଷ୍ଟି ହେବ। ପୂଜା ମହୋତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେବା ସହ ମା’ଙ୍କ ଦର୍ଶନ ଓ ବିଭିନ୍ନ ସାଂସ୍କୃତିକ ଆୟୋଜନରେ ସାମିଲ ହେବାକୁ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ରହିଛି । ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ କାମନା କରି ଆୟୋଜିତ ଏହି ମହୋତ୍ସବ ଧାର୍ମିକ ଭାବନା ସହ ସାମାଜିକ ମିଳନ ଓ କଳା-ସଂସ୍କୃତିର ପ୍ରଚାରପ୍ରସାରର ଏକ ମାଧ୍ୟମ ହେବ ବୋଲି ଆଶା କରାଯାଉଛି। ମହୋତ୍ସବକୁ ସଫଳ କରିବା ପାଇଁ ପୂଜା କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି।

Leave a Reply

Your email address will not be published. Required fields are marked *