ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ଓ ବାଲୁଗାଁ ଅଞ୍ଚଳରେ କେମିତି ଥିଲା ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ପ୍ରସ୍ତୁତି ! ୧୩୭୨ ଜଣଙ୍କୁ ସ୍ଥାନାନ୍ତର, ୪୧ଟି ଆଶ୍ରୟସ୍ଥଳୀରେ କରାଯାଇଥିଲା ଥଇଥାନ ! ବାତ୍ୟା ‘ଅକୱାନ’କୁ ନେଇ ଚିଲିକା ଉପକୂଳ ଅଞ୍ଚଳରେ ଭୟ ଓ ଆଶଙ୍କା ବଢ଼ିବା ପରେ ବିଶେଷ କରି ଚିଲିକା ଓ ବାଲୁଗାଁର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅସୁରକ୍ଷିତ ପରିବାରଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଶାସନର ସୂଚନା ଅନୁଯାୟୀ, ଚିଲିକା ବ୍ଲକ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ମୋଟ ୧୩୭୨ ଜଣଙ୍କୁ ୪୧ଟି ଆଶ୍ରୟସ୍ଥଳୀରେ ଥଇଥାନ କରାଯିବା ସହିତ ୧୨ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିଲିକା ବ୍ଲକର ୧୭ଟି ପଞ୍ଚାୟତ ଅଧୀନରେ ଥିବା ତଟବର୍ତ୍ତୀ ଗ୍ରାମଗୁଡ଼ିକର କଚ୍ଚା ଘରେ ବସବାସ କରୁଥିବା ପ୍ରାୟ ୧୧୦୦ ଜଣଙ୍କୁ ୧୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୩୪ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଚିଲିକା ବିଡିଓ ପୁନମ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ବାଲୁଗାଁ ଏନଏସି ପକ୍ଷରୁ ଚିଲିକା ତଟବର୍ତ୍ତୀ ଶାନ୍ତିନଗର, ସନ୍ୟାସୀ ନଗର, ତାଳପଟି ଓ ଗୋପବନ୍ଧୁ କଲୋନୀ ଆଦି ବଙ୍ଗୀୟ ବସ୍ତି ଅଞ୍ଚଳରୁ ୨୭୨ ଜଣଙ୍କୁ ୫ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ଏଥିପାଇଁ ଆହାର କେନ୍ଦ୍ର, ଶାନ୍ତିନଗର ପ୍ରାଥମିକ ବିଦ୍ୟାଳୟ, ପାଟଣାସାହିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ବାଲୁଗାଁ ହାଇସ୍କୁଲ ଏବଂ ଅଶୋକନଗରସ୍ଥିତ ବଣିକ ସଂଘ ଗୃହକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଥିଲା । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଏହି ସୂଚନା ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଡଙ୍ଗା, ମାଛଧରା ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । ଚିଲିକା ମଧ୍ୟକୁ ଯେପରି କୌଣସି ବ୍ୟକ୍ତି ପ୍ରବେଶ ନକରନ୍ତି, ସେଥିପାଇଁ ବଡ଼କୁଳ ପାନ୍ଥନିବାସ ଓ ବାଲୁଗାଁ ଜେଟି ନିକଟରେ ପୋଲିସ ମୁତୟନ କରାଯିବା ସହ ବାଲୁଗାଁ ଅଗ୍ନିଶମ ବାହିନୀ ମଧ୍ୟ ସମସ୍ତ ଆବଶ୍ୟକୀୟ ଉପକରଣ ସହ ପ୍ରସ୍ତୁତ ରହିଥିଲା ବୋଲି ମୁଖ୍ୟ ଆଗ୍ନିକ ଯୋଦ୍ଧା ପ୍ରଶାନ୍ତ ମହାପାତ୍ର କହିଛନ୍ତି।

