କୋଭିଡ କଟକଣା ମଧ୍ୟରେ ଢେଙ୍କାନାଳରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା !!

0
202

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜଗତର ନାଥ ଜଗନ୍ନାଥ ଙ୍କର ଆଜି ହେଉଛି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ସମଗ୍ର ବିଶ୍ୱରେ ରେ ପ୍ରସିଦ୍ଧ ଏହି ରଥଯାତ୍ରା । କିନ୍ତୁ କାଳର କରାଳ ଗତି ହେତୁ ସମଗ୍ର ବିଶ୍ୱ ଏବେ କରୋନା କବଳରେ କବଳିତ ହୋଇଥିବାରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଗତବର୍ଷ ଭଳି କୋଭିଡ଼ ନୀତିନିୟମରେ ପାଳିତ ହୋଇଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ନିର୍ଦେଶ କ୍ରମେ କେବଳ ପୁରୀରେ ସେବାୟତ ମାନଙ୍କଦ୍ୱାରା ରଥଯାତ୍ରା ପାଳିତ ହେବାକୁ ଅନୁମତି ମିଳିଥିବା ସ୍ଥଳେ ,ଉଚ୍ଚ ନ୍ୟାୟାଳୟର ଆଦେଶକୁ ସମ୍ମାନ ଦେଇ ଢେଙ୍କାନାଳରେ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ରଥଯାତ୍ରା ପାଳିତ ହୋଇଯାଇଛି ।

ସକାଳୁ ମଙ୍ଗଳ ଆଳତି, ଏହାପରେ ପ୍ରଭୁ ଜଗନ୍ନାଥ ଙ୍କୁ ମହାସ୍ନାନ କରାଯାଇଥିଲା । 10.30 ସମୟରେ ଖେଚେଡ଼ି ଭୋଗ, ରାଜାଙ୍କ ନଅରକୁ ଆଜ୍ଞା ମାଳ ପଠାଯାଇଥିଲା । ଏହାପରେ ରାଜାଙ୍କ ନଅରରୁ ଠାକୁରଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା । ମଙ୍ଗଳାର୍ପଣ ପୂଜା କରାଯାଇ ବଡ଼ଠାକୁରଙ୍କୁ ପହଣ୍ଡି କରାଯାଇଥିଲା । ଏହାପରେ ଢେଙ୍କାନାଳ ଗଡ଼ର ରାଜା ଯୁବରାଜ ଅମରଜିତ ସିଂହଦେଓ ଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ କରାଯାଇ ଅନ୍ୟାନ୍ୟ ପୂଜାଧି କାର୍ଯ୍ୟ ସମାପନ କରାଯାଇଥିଲା । ପରିଶେଷରେ ରାଜାଙ୍କ ଦ୍ୱାରା 1.55pm ସମୟରେ ରଥ ଟଣା ଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ କଡ଼ାକଡ଼ି ଭାବେ ଚେକିଂ କରାଯିବା ସହ ମନ୍ଦିର ପରିସର ମଧ୍ୟରେ 144 ଧାରା ଲାଗୁ କରା ଯାଇଥିଲା । ପୂଜା ପଣ୍ଡା ଭାଗିରଥି ପଣ୍ଡା, ଶ୍ରୀବତ୍ସ ମିଶ୍ର, ମଳୟ କର,କହଳିଆ ଟିକନ ବେହେରା, ସୁଆଁର ନୀଳମଣି ଆଚାର୍ଯ୍ୟ, ପାଳିଆ ସେବକ ସଂବୁନାଥ ମହାପାତ୍ର, ଦେବୋତ୍ତର ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ତ୍ରିପାଠୀ ଅନ୍ୟାନ୍ୟ ସେବାୟତ , ଜିଲ୍ଲା ପ୍ରଶାସନର ଅଧିକାରୀ , ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଟାଉନ ଥାନା ଅଧିକରିଣୀ ନମିତା ପଟ୍ଟନାୟକଙ୍କ ସମେତ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here