ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତରେ ସ୍ଥାପିତ ହୋଇଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡି ରହିଥିବା ସମୟରେ ପାନୀୟ ଜଳ ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ । ପଞ୍ଚାୟତ ଟି ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ . ବାଘୁଆପାଳରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ୨୦୧୮-୧୯ ମସିହାରେ ସୋଲାର ସିମ ରେ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା ହୋଇଥିଲା । ଏଥି ନିମନ୍ତେ ଆବଶ୍ୟକ କରୁଥିବା ୪ ଲକ୍ଷ ଟଙ୍କା ଚତୁର୍ଦଶ ଅର୍ଥ କମିସନରୁ ମଞ୍ଜୁରୀ କରାଯାଇଥିଲା ।
ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ କରି ସଂପୂର୍ଣ୍ଣ କଲେ । କିନ୍ତୁ କାର୍ଯ୍ୟର ମାନ ଏତେ ଖରାପ ହୋଇଥିଲା ଯେ ପାନୀୟ ଜଳ ପ୍ରକଳ୍ପ ମାସ କେଇଟାରେ ଅଚଳ ହୋଇପଡ଼ିଲା । ଫଳରେ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରଙ୍କ ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ସଂପୃକ୍ତ ପ୍ରକଳଟି ଏବେ ବି ଅଚଳ ହୋଇ ପଡ଼ି ଥିବା ବେଳେ ମଧ୍ୟ କେହି ଅଭିଯୋଗ ଶୁଣୁ ନାହାନ୍ତି । ପ୍ରକଳ୍ପରେ ଲାଗିଥିବା ସୋଲାର ସିଷ୍ଟମ୍ ଗୁଡିକ ଖରାପ ହୋଇଥିବା ସୂଚନା ମିଳୁଛି ଓ ଦାୟିତ୍ୱରେ ଥିବା ଅଧିକାରୀ ଠିକାଦାରଙ୍କୁ ବିଲ ପେମେଣ୍ଟ କରିବାକୁ ପଛାଇ ନାହାନ୍ତି ।
ଅଭିଯୋଗ ହୁଏ ନିର୍ମାତା ଆଦିତ୍ୟ ସୋଲାର ସଲୁସନ, ବ୍ରହ୍ମପୁର ନାମକ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନିମ୍ନମାନର କାମ କରିବା ଯୋଗୁ ପ୍ରକଳ୍ପ ଟି ଲୋକଙ୍କ ସେବାରେ ଲାଗି ପାରିଲାନି । ଏପରିକି ବ୍ୟବହୃତ ନିମ୍ନମାନର ପାଇପ ଗୁଡିକ ବିଭିନ୍ନ ସ୍ଥାନରେ ଫାଟି ଥିବାର ଜଣାପଡ଼ିଛି । ସୋଲାର ସିଷ୍ଟମ ରୁ ଆସିଥିବା ତାର ସହ ମଟରଟି ମଧ୍ୟ ଅଚଳ ହୋଇପଡ଼ିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟକ୍ଷମତା ନେଇ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚଙ୍କ କହିବା ମୁତାବକ ଫୋନ କଲେ ବି ଠିକାଦାର ଫୋନ ଉଠାଉ ନାହାନ୍ତି , ଫଳରେ ଗ୍ରାମବାସି ହନ୍ତସନ୍ତ ହେଉଛନ୍ତି । ପ୍ରକଳ୍ପ ନିର୍ମାଣ କାମର ତଦନ୍ତ ସହ ତୁରନ୍ତ ମରାମତି କରାଯିବାକୁ ଗ୍ରାମବାସି ଦାବୀ କରିଛନ୍ତି ।