ବିଜେଡି ଛାଡିଲେ ପୁରୁଣା କଂଗ୍ରେସିଆ ରମାକାନ୍ତ ସେଠୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପାଖାପାଖି ଏକ ବର୍ଷ ଧରି ବାଙ୍କୀ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସ୍ତୁତି ଗାନ କରୁଥିବା ବାଙ୍କୀ ଏନଏସି ର ଯୁବନେତା ତଥା ପୁରୁଣା କଂଗ୍ରେସିଆ ରମାକାନ୍ତ ସେଠୀ ହଠାତ ବିଜେଡି ଛାଡିଛନ୍ତି . କାହିଁକି ଦଳ ଛାଡିଲେ , ତାର ଉତ୍ତର ମଧ୍ୟ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି . ଦଳରେ ତାଙ୍କର ବ୍ୟକ୍ତିଗତ ମର୍ଯ୍ୟାଦାହାନି ଘଟିବା କାରଣରୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ସେ ତାଙ୍କର ଇସ୍ତଫା ପ୍ରଦାନ କରିଥିବା କଥା ଉଲ୍ଲେଖ କରିଛନ୍ତି .

ବାଙ୍କୀ ଏନଏସି ରାଜନୀତିରେ ଜଣେ ଜଣାଶୁଣା ଚେହେରା ରମାକାନ୍ତ ସେଠୀ , ପୂର୍ବତନ ବାଙ୍କୀ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ଅନୁଗତ ଭାବରେ ଦୀର୍ଘ ଦିନ ଧରି ସଂଗଠନ କାମ କରୁଥିଲେ . ତେବେ ହଠାତ କଂଗ୍ରେସ ଛାଡି ବିଜେଡିରେ ମିଶି ଯାଇଥିଲେ ରମାକାନ୍ତ , ଆଉ ବାଙ୍କୀ ବିଜେଡିର ଶୀର୍ଷ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ତାଙ୍କୁ ଆଗ୍ରହରେ କୋଳାଇ ନେଇଥିଲେ . ନେବେନି ବା କେମିତି , ବାଙ୍କୀ ବଜାରରେ ଆଗରୁ ଯେତେ ବିରୋଧ ବିକ୍ଷୋଭ ହୁଏ ସବୁଠୁ ଆଗରେ ଥାନ୍ତି ଏହି ଫାୟାର ବ୍ରାଣ୍ଡ ଯୁବନେତା ଜଣକ . ଶାସକ ଦଳର କିର୍ତ୍ତୀ କଳାପକୁ ସମାଲୋଚନା କରିବା ସହିତ ନେତାଙ୍କର ଚଉଦ ପୁରୁଷ ଉଦ୍ଧାର ମଧ୍ୟ କରନ୍ତି . ତେଣୁ , ଦଳରେ ତାଙ୍କର ଆବଶ୍ୟକତା ଥାଉ ବା ନ ଥାଉ – ରମାକାନ୍ତଙ୍କୁ ଦଳରେ ମିଶାଇ ଗୋଟେ ମନବୁଝା ପଦବୀ ମଧ୍ୟ ଦେଇଥିଲେ ବାବୁ ପ୍ରଭାତ ତ୍ରିପାଠୀ. ହେଲେ ଏ ଭାବ ବେଶୀ ଦିନ ରହିଲା ନାହିଁ . ବାଙ୍କୀ ବିଜେଡି ସଙ୍ଗଠନରେ ତହୁଁ ବଡା ତହୁଁ ବଡା ପୁରୁଣା ମୂଷା ଥିବାରୁ କୋଣ ଠେସା ହୋଇ ରହିଗଲେ ରମାକାନ୍ତ . ଶେଷରେ ଶାସକ ଦଳରେ ରହି ମଟନ ଝୋଳ ଖାଇବାର ଲୋଭ ଛାଡି , ନିଜ ଘରକୁ ଫେରି ଶାଗ ପଖାଳ ଖାଇ ରହିବେ ବୋଲି ସ୍ଥିର କରିଥିବା କଥା ଆମ ଆଗରେ ପ୍ରକାଶ କରିଛନ୍ତି . ଦଳୀୟ ସାଙ୍ଗଠନିକ କାର୍ଯ୍ୟାଳୟରେ ତାଙ୍କର ଇସ୍ତଫା ଗୃହୀତ ହୋଇ ନଥିଲେ ସୁଦ୍ଧା , ପୁନର୍ବାର କଂଗ୍ରେସ କୁ ଫେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ରମାକାନ୍ତ ସେଠୀ , ହେଲେ ଆମ ଖବର ଅନୁସାରେ ତାଙ୍କର ଇସ୍ତଫା ପ୍ରଦାନ ପରେ କିଛି ପଦ୍ମ ଦଳିଆ ମଧ୍ୟ ତାଙ୍କୁ ଯୋଗାଯୋଗ କରୁଛନ୍ତି . ଅନ୍ୟ ପକ୍ଷରେ ବାଙ୍କୀ ବିଜେଡିର କିଛି ଛାମୁଆ ନେତା କହିଛନ୍ତି – ସିଏ ଚାଲିଗଲେ କିଛି ଫରକ ପଡ଼ିବନି , ରେଣୁକା କୁଳରେ ଆହୁରି ଟାଣୁଆ ନେତା ଅଛନ୍ତି .

Leave a Reply

Your email address will not be published. Required fields are marked *