ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ . ଓଡ଼ିଶାର ପ୍ରତ୍ୟେକ ଶକ୍ତି ପୀଠରେ ଆଶ୍ୱିନ ଶୁକ୍ଳ ମୂଳାଷ୍ଟମୀ ଠାରୁ ଶାରଦୀୟ ପର୍ବ ଆରମ୍ଭ ହୋଇଥାଏ । ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ବା ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଥିବା ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି । ଉକ୍ତ ଦିନ “ମା” ଷଷ୍ଠୀ ଦେବୀ ବା ଭାଗ୍ୟବିଧାତାର ଦେବୀ ଷଷ୍ଠୀ ଦେବୀ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ଏହା ପରେ ସୋମବାର ଭାଦ୍ରବ କୃଷ୍ଣ ଲଳିତା ସପ୍ତମୀ ରାତିରେ ପାଳିଆ ମାଳି, ପୂଜକ, ଘଣ୍ଟୁଆ, କାହାଳିଆ, ମଶାଲଧାରୀ ପ୍ରଭୁତି ସେବକଙ୍କ ଗହଣରେ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ମନ୍ଦିରରୁ ବାହାରି ପୂର୍ବ ଦିଗକୁ ଯାତ୍ରା କରି ଚିଲିକା କୁଳରେ ବିଜେ ହୋଇଥିଲେ । ସେଠାରୁ ନୌକା ଯୋଗେ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ନିର୍ଦ୍ଧାରିତ ବିଧି ଅନୁସାରେ ଆଜ୍ଞାମାଳ ଗ୍ରହଣ କରି ମା’ ଭଗବତୀ ଫେରିଥିଲେ । ଏହାକୁ ପାଣିତୋଳା ଉତ୍ସବ ବୋଲି କୁହାଯାଏ । ଫେରିବା ବାଟରେ ବାଲୁଗାଁ ଠାରେ ଶଙ୍ଖୁଡ଼ି ଭୋଗ ଖାଇବା ସହ ଜଣେ ପୁରାତନ ବାସିନ୍ଦାଙ୍କ ଦୁଆରେ ମୁଆଁ ଭୋଗ ଗ୍ରହଣ କରିଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡୁରୁପୁର ଠାରେ ପୁରୀ ଗଙ୍ଗାମାତା ମଠର ଏକ ଶାଖା ମଠରେ ବିଶ୍ରାମ ନେଇଥିଲେ। ପାଟଣା ସାହିର ମୋହନ ଗୋ ସ୍ବାମୀଙ୍କ ବାସଭବନ ଭାବେ ପରିଚିତ କୋଠ ମଣ୍ଡପରେ ଭୋଗ ଗ୍ରହଣ କରି, ଅନ୍ତର କିଆରୀ ଗ୍ରାମରେ “ମା” ବିଜେ ହୋଇଥିଲେ। ସେଠାରେ ଗ୍ରାମଦେବୀଙ୍କ ପୀଠରେ ସମର୍ପିତ ନିଶଙ୍ଖୁଡ଼ି ଭୋଗ ଗ୍ରହଣ କରି ମଙ୍ଗଳବାର ସକାଳ ସମୟରେ ଦକ୍ଷେଶ୍ୱର ମନ୍ଦିରକୁ ଫେରି ଆସିଥିଲେ।

ଆଜି ଅଷ୍ଟମୀ ତିଥିରୁ ଭଗବତୀଙ୍କ ପୀଠରେ ଆରମ୍ଭ ହୁଏ ଶୟନାଷ୍ଟମୀ ବା ଶ୍ରୀ ଦୁର୍ଗା ଶୟନ। ପରେ ପାର୍ଶ୍ୱ ପରିବର୍ତ୍ତନ ଓ ଦେବୀ ଉତ୍ଥାପନ।ଯାହାକି ସହସ୍ରାକୁମ୍ଭାଭିଷେକ ହୋଇ ମୂଳାଷ୍ଟମୀ ଠାରୁ ମହା ନବମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ ଷୋଡଶ ଦିବସାତ୍ମକ “ମା”ଙ୍କର ଶାରଦୀୟ ଦୁର୍ଗୋତ୍ସବ । ଏହି ଉତ୍ସବରେ ଯୋଗ ଦେବାପାଇଁ ମା’ ଭଗବତୀ ଚୈତ୍ର କୃଷ୍ଣ ଅଶୋକାଷ୍ଟମୀରେ ଦକ୍ଷିଣ ଦିଗ ବାସିନୀ ଭାଲେରି ପାହାଡ଼ ସ୍ଥିତ ମା’ ନାରାୟଣୀଙ୍କୁ, ମହାବିଷୁବ ସଂକ୍ରାନ୍ତି ଦିନ ଉତ୍ତରଦିଗ ବାସିନୀ ସୋଲାରୀ ପାହାଡ଼ରେ ଥିବା ମା ସିଦ୍ଧାମ୍ବରୀଙ୍କୁ, ଲଳିତା ସପ୍ତମୀରେ ମା କାଳିଜାଇଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଆଶ୍ୱିନ ଅମାବାସ୍ୟା ଦିନ ପଶ୍ଚିମ ଦିଗ ରକ୍ଷାକାରିଣୀ ମା’ ବିରଜାଇଙ୍କୁ ନିମନ୍ତ୍ରଣ କରିଥାନ୍ତି। ଏହା ବାଣପୁର ଅଂଚଳରେ ଭେଟ ଅମାବାସ୍ୟା ଭାବେ ବେଶ୍ ସୁଖ୍ୟାତ ।

Leave a Reply

Your email address will not be published. Required fields are marked *