ଚିଲିକା ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ପରେ ମୁଣ୍ଡ ବିନ୍ଧା : ଦଳୀୟ ପ୍ରାର୍ଥୀଙ୍କୁ ଧୂଳି ଚଖାଇବେ କି ସ୍ୱାଧୀନ ପ୍ରାର୍ଥୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଧିରେ ଧିରେ ଉଷ୍ମ ହେବାରେ ଲାଗିଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ଚିଲିକା ବ୍ଲକ ଓ ବାଣପୁର ବ୍ଲକରୁ ୬ ଟି ଜିଲ୍ଲା ପରିଷଦ ଜୋନ ଏବଂ ୩୪ ଟି ପଂଚାୟତରେ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି । ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାତ୍ର ସବୁ ପଂଚାୟତରେ ଦଳୀୟ ଅସନ୍ତୁଷ୍ଟ ମାନେ ଫସର ଫଟାଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଶାସକ ଦଳରେ କ୍ରମାଗତ ଭାବେ ଗୋଷ୍ଠୀ କନ୍ଦଳ ତୀବ୍ର ରହିଥିବା ସ୍ଥଳେ ବିରୋଧୀ ଦଳ ଅବସ୍ଥା ମଧ୍ୟ କିଛି କମ ନୁହେଁ । ଶାସକ ଦଳରେ ଫାଟ ଥାଇ ମଧ୍ୟ ବିରୋଧୀ ଏହାର ଫାଇଦା ନେବା ପରିବର୍ତ୍ତେ ନିଜ ଦଳର ଉଚିତ ପ୍ରାର୍ଥୀ ଚୟନ ନେଇ ଦ୍ଵନ୍ଦରେ ପଡିଛନ୍ତି ।ଯେଉଁ ପଂଚାୟତ ଗୁଡିକରେ ସରଂକ୍ଷିତ ପଦବୀ ରହିଛି ସେସବୁ ପଂଚାୟତରେ ଦଳ ତରଫରୁ ପ୍ରାର୍ଥୀ ଚୟନ ସୁରୁଖୁରୁରେ କରାଯାଇଛି । କିନ୍ତୁ ଯେଉଁ ପଂଚାୟତ ଗୁଡିକ ଅଣସରଂକ୍ଷିତ ରହିଛି ସେସବୁ ପଂଚାୟତରେ ପ୍ରାର୍ଥୀ ଚୟନ ନେଇ ଦଳୀୟ କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି । ଶାସକ ହେଉ ଅବା ବିରୋଧୀ ମନ ଇଚ୍ଛା ଦଳୀୟ ସମର୍ଥନ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ଆଶାୟୀ ନିରୁତ୍ସାହିତ ହୋଇଛନ୍ତି । ଯାହାଫଳରେ ଅନେକ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୂଚନା ମୁତାବକ ଚିଲିକା ବ୍ଲକର ୧୭ ଗୋଟି ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୭୬ ଜଣ, ସମିତି ସଭ୍ୟ ପାର୍ଥି ଭାବେ ୫୨ ଜଣ, ୱାର୍ଡ ସଭ୍ୟ ପାର୍ଥି ଭାବେ ୪୨୮ ଜଣ ଏବଂ ବାଣପୁର ବ୍ଲକର ୧୭ ଗୋଟି ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୮୧ ଜଣ, ସମିତି ସଭ୍ୟ ପ୍ରାର୍ଥୀ ଭାବେ ୬୯ ଜଣ, ୱାର୍ଡ ସଭ୍ୟ ପ୍ରାର୍ଥୀ ଭାବେ ୪୬୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହାଫଳରେ ପ୍ରତ୍ୟେକ ପଂଚାୟତରେ ଅସନ୍ତୁଷ୍ଟମାନେ ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବା ସହ ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।

Leave a Reply

Your email address will not be published. Required fields are marked *