ଲକ୍ଷାଧିକ ଟଙ୍କାର ପାଇପ ଲୁଟ୍ ଘଟଣା : ୫ ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗତ ୯ ତାରିଖରେ ଲକ୍ଷାଧିକ ଟଙ୍କାର ପାଇପ୍ ଲୁଟ୍ କରିଥିବା ଅଭିଯୋଗରେ ସୁକିନ୍ଦା ପୋଲିସ ତିନିଜଣ ଡ୍ରାଇଭର, ଜଣେ ମେସିନ ଅପରେଟର ଓ ଜଣେ ସହଯୋଗୀକୁ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୁକିନ୍ଦା ଅଞ୍ଚଳରେ ଚାଷ ଜମିକୁ ପାଇପ ଯୋଗେ ଜଳସେଚନ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ମେଗା ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହିଛି । ସେହି କାର୍ଯ୍ୟ ପାଇଁ ଠିକାଦାର ସୁକିନ୍ଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଇପ ରଖିଥିଲା । ଗତ ୯ ତାରିଖରେ କିଛି ଲୁଟେରା ତିନୋଟି ଟ୍ରକ ଓ ଗୋଟିଏ ହାଇଡ୍ରା ମେସିନ ସାହାଯ୍ୟରେ ପାଇପ ଲୁଟ କରୁଥିବା ସୁକିନ୍ଦା ପୋଲିସ ସୂଚନା ପାଇବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ତିନୋଟି ଟ୍ରକ, ଗୋଟିଏ ମେସିନ ଜବତ କରିବା ସହ ୯ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏନେଇ ୨୮ / ୨୦୨୩ରେ ଏକ ମାମଲା ରୁଜୁ ହୋଇଥିଲା । ଶନିବାର ଦିନ ପୋଲିସ ସଂପୃକ୍ତ ଟ୍ରକ ଡ଼୍ରାଇଭର ମହାରାଷ୍ଟ୍ର ଅଞ୍ଚଳର ବିକାଶ ସମ୍ରାଓ ମଣ୍ଡଳ(୩୬), ସୁରେନ୍ଦ୍ର ମାରେଶ୍ୱର୍ ଜନବନ୍ଧୁ(୪୩), ଦ୍ୟାନେଶ୍ୱର୍ ଲକ୍ଷ୍ମଣ ସୋନାର(୩୩), ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ସୁନିଲ ଭୂତିଆ(୨୯), ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମ ଜିତେନ୍ଦ୍ର ମହାନ୍ତି(୩୨)ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହା ଏକ ଆନ୍ତଃ ରାଜ୍ୟ ଚୋରା ରାକେଟ, ଏହାର ଚେର କଳିଙ୍ଗନଗରରୁ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି ।

Leave a Reply

Your email address will not be published. Required fields are marked *