ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ ଉପ ଜିଲ୍ଲାପାଳ ଖୋର୍ଦ୍ଧା ତଥା ପରିଚାଳନା ପରିଷଦର ସଭାପତି ଶ୍ରୀ ସଂକଳ୍ପ ସ୍ୱସ୍ତିକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ଚିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୁତିଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି,ବିଶିଷ୍ଟ ଶିକ୍ଷାବିତ୍, କିଟ୍ ଓ କିସ୍ ର ଉପଦେଷ୍ଟା ତଥା ‘ବିଶ୍ୱମୁକ୍ତି’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଡ଼ଃ ଶଶାଙ୍କ ଶେଖର ଚୂଡ଼ାମଣି ମୁଖ୍ୟବକ୍ତା, ଖୋର୍ଦ୍ଧା ଡ଼େପୁଟି ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି ସମ୍ମାନିତ ଅତିଥି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ ଯୋଗଦେଇଥିଲେ । ଆଗାମୀ ଦଶବର୍ଷ ମଧ୍ୟରେ ମହାବିଦ୍ୟାଳୟକୁ ଏକ ଅଗ୍ରଣୀ, ଆଦର୍ଶ ଓ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ଦିଗରେ ଏକ ସୁଦୃଢ଼ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ୪୬ ବର୍ଷର ଗୌରବମୟ ଯାତ୍ରାରେ ବାଲୁଗାଁ ମହାବିଦ୍ୟାଳୟ ଚିଲିକା ଅଞ୍ଚଳର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛି। ଛାତ୍ରଛାତ୍ରୀଙ୍କୁ ଜ୍ଞାନ, ଦକ୍ଷତା ଓ ମୂଲ୍ୟବୋଧରେ ସମୃଦ୍ଧ କରି ସମାଜ ଗଠନରେ ମହାବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ ବୋଲି କହିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅଂଶୁମାନ ଦାସ, ପୂର୍ବତନ ଅଧ୍ୟକ୍ଷା ଡଃ ରଜନୀରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ କଳାର ଟପ୍ପର ଶ୍ରୀତମ ଘୋଷ, ବିଜ୍ଞାନର ଟପ୍ପର ରାଧାକାନ୍ତ ମାନସିଂହ,ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା-୨୦୨୬ରେ ଦର୍ଶନଶାସ୍ତ୍ର ବିଷୟରେ ୫ମ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ର ଶିବ ମହାରଣା,ଶ୍ରେଷ୍ଠ କଳା ସ୍ନାତକ ଗାୟତ୍ରୀ ମହାରଣା,ଶ୍ରେଷ୍ଠ ବିଜ୍ଞାନ ସ୍ନାତକ ସନ୍ଦୀପ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସ୍ନାତକ ବିଭାଗର ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି), ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ଯୁବ ରେଡକ୍ରସର ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଉକ୍ତ ଉତ୍ସବରେ ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରବୀଣ କୁମାର ଜେନା ଧନ୍ୟବାଦ୍ ଜ୍ଞାପନ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *