ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ ଜଙ୍ଗଲି ଜନ୍ତୁଙ୍କ ଉପଦ୍ରବ ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି।ମରୁଡି ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଲଘୁଚାପ ବର୍ଷା ଟିକିଏ ବଞ୍ଚିବାର ରାହା ଦେଖାଇଥିବା ବେଳେ ହାତୀ ପଲ କିନ୍ତୁ ସେହି ଆଶା କୁ ଭାଙ୍ଗି ଦେଇଛନ୍ତି।ଏଭଳି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚତରାପଦା ଗ୍ରାମର ଚାଷୀମାନେ।ଏକର ଏକର ଜମିରେ ହାତୀପଲଙ୍କ ସେମାନଙ୍କର ଉପଦ୍ରବ କରି ଧାନ ଜମି ନଷ୍ଟ କରିବା ସହ ଚାଷୀର ଚିନ୍ତା ବଢ଼ାଇଥିବା ଦେଖିବାକୁ ମିଳିଛି।ଧାର କରଜ କରି ଧାନ ଚାଷ କରିଥିବା ଚତରାପଦା ଗ୍ରାମର କିଛି ଚାଷୀଙ୍କ ଜମିରେ ଗତ ରାତିରେ ହାତୀପଲ ପଶି ବିଶେଷ କ୍ଷୟ କ୍ଷତି କରିଛି।ପୂର୍ବରୁ ଅନେକ ଥର ହାତୀ ଏବଂ ବାର୍ହା ଭଳି ଜଙ୍ଗଲି ପଶୁ ଜନ୍ତୁ ଚାଷୀ ମାନଙ୍କର ଅନେକ କ୍ଷୟ କ୍ଷତି କରିଛନ୍ତି।ଏହି ବାବଦରେ ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ କୁ ଯେତେ ଜଣାଇଲେ ମଧ୍ୟ ବନବିଭାଗ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ।ଅନୁକମ୍ପା ରାଶି ମିଳୁନଥିବା ଏବଂ ହାତୀ ଘଉଡାଇବା ପାଇଁ ବନ ବିଭାଗ ତରଫରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନଥିବାରୁ ଆଗକୁ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏହାକୁ ନେଇ ଆମେ ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ ରେଞ୍ଜରଙ୍କ ସହିତ ଯୋଗାଯୋଗ କରିଥିଲୁ।ସେ ଚାଷୀ ମାନଙ୍କ ପାଖରୁ କୌଣସି ପ୍ରକାରର ଅଭିଯୋଗ ପାଇ ନଥିବା ସୂଚନା ଦେଇନଥିବା ବେଳେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିଲେ।ପୂର୍ବରୁ ଚାଷୀମାନେ କୌଣସି ଅନୁକମ୍ପା ରାଶି ପାଇ ନଥିବା ଅଭିଯୋଗର ଉତ୍ତରରେ ସେ କିଛି ଜାଣିନଥିବା ସୂଚନା ଦେଇଛନ୍ତି।ଜଙ୍ଗଲରେ ଖାଦ୍ୟ ଅଭାବ ଦେଖାଦେବା ଯୋଗୁଁ ଜଙ୍ଗଲର ପଶୁଜନ୍ତୁ ଏବେ ଗ୍ରାମ ଆଡକୁ ମୁହାଁଇଛନ୍ତି।ଏମିତି କି ଚାଷୀମାନେ ଧାର କରଜ କରି କରିଥିବା ଧାନ ଫସଲକୁ ହାତୀପଲ କୁଦି ଦଳି ନଷ୍ଟ କରୁଥିବା ଦେଖିବାକୁ ମିଳିଛି।ବନବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘଉଡାଇବାର ବ୍ୟବସ୍ଥା ଥିଲେ ମଧ୍ୟ ବନବିଭାଗ ସେମାନଙ୍କର ଦାୟିତ୍ୱ ତୁଲାଉନଥିବା ଅଭିଯୋଗ ହେଉଛି।ଆଗକୁ ଏମିତି ହେଲେ ମଣିଷ ଓ ହାତୀଙ୍କ ମଧ୍ୟରେ ଲଢେ଼ଇ ହେବା ନିଶ୍ଚିତ ବୋଲି କ୍ଷୋଭର ସହିତ କହିଛନ୍ତି ଚାଷୀ।ବନବିଭାଗ ହାତୀପଲଙ୍କ ଉପଦ୍ରବରୁ ଚାଷୀମାନଙ୍କ ଫସଲକୁ ସୁରକ୍ଷା ଦେବା ସହିତ ଚାଷୀମାନଙ୍କୁ ଅନୁକମ୍ପା ରାଶି କେବେ ଦେଉଛି ତାହା ଦେଖିବାକୁ ବାକି ରହିଲା।
ହାତୀ ଖାଇଗଲା ଧାନ ଫସଲ !!!

