କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଜବରଦଖଲ ଯୋଗୁଁ ବିପର୍ଯ୍ୟସ୍ତ ହୋଇଛି ପ୍ରାଚୀ ନଦୀର ଅସ୍ଥିତ୍ୱ , ପ୍ରାଚୀ ନଦୀର ସୁରକ୍ଷା ପାଇଁ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକଙ୍କ ଆହ୍ୱାନ ! ପ୍ରଦୂଷଣ ଓ ଜବରଦଖଲ ଯୋଗୁଁ ନଦୀର ଅସ୍ତିତ୍ୱ ବିପନ୍ନ ! ଐତିହ୍ୟ ଓ ସଂସ୍କୃତିର ବାହକ ତଥା ପବିତ୍ର ପ୍ରାଚୀ ନଦୀ ଆଜି ଅବହେଳିତ ଅବସ୍ଥାରେ ରହିଅଛି । ନଦୀ ଶଯ୍ୟାରେ ବଢ଼ୁଥିବା ପ୍ରଦୂଷଣ ଏବଂ ବ୍ୟାପକ ଜବରଦଖଲକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଯୁବ ସମାଜସେବୀ ସନ୍ତୋଷ କୁମାର ମଲ୍ଲିକ । ଗୋଟିଏ ସମୟରେ ପ୍ରାଚୀ ନଦୀ ସ୍ଥାନୀୟ ଅଞ୍ଚଳର ଜୀବନରେଖା ଥିଲା । କିନ୍ତୁ ଆଜି ଏହା ଆବର୍ଜନା ଓ ପ୍ଲାଷ୍ଟିକର ଭଣ୍ଡାର ପାଲଟିଛି । ବିଭିନ୍ନ ସ୍ଥାନରେ ନଦୀକୁ ମାଟି ପୋତି ଜବରଦଖଲ କରାଯିବା ଫଳରେ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି । ସରକାରୀ ସ୍ତରରେ ନଦୀର ପୁନରୁଦ୍ଧାର ପାଇଁ ଯେଉଁ ଉଦ୍ୟମ ହେବା କଥା, ତାହା ଅତ୍ୟନ୍ତ ନିରାଶାଜନକ । ନଦୀକୁ ନିର୍ମଳ ରଖିବା ପାଇଁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଖୁବ୍ ମନ୍ଥର । ନଦୀ ଗର୍ଭରୁ ଅବାଧ ବାଲି ଉତ୍ତୋଳନ ଏବଂ ରାସାୟନିକ ବର୍ଜ୍ୟବସ୍ତୁ ମିଶିବା ଯୋଗୁଁ ନଦୀର ପାଣି ବିଷାକ୍ତ ହୋଇପଡ଼ିଛି, ଯାହାକି ପରୋକ୍ଷରେ ଚାଷ ଜମି ଓ ଜନସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ – ତୁରନ୍ତ ପ୍ରାଚୀ ନଦୀର ସୀମା ନିର୍ଦ୍ଧାରଣ କରାଯାଇ ଜବରଦଖଲ ଉଚ୍ଛେଦ କରାଯାଉ । ନଦୀ ପଠାରେ ବର୍ଜ୍ୟବସ୍ତୁ ପକାଉଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଦୀର ସୌନ୍ଦର୍ଯ୍ୟକରଣ ସହିତ ଏହାର ଗଭୀରତା ବୃଦ୍ଧି ପାଇଁ ଖନନ କାର୍ଯ୍ୟ କରାଯାଉ । ଶେଷରେ ସେ ସ୍ଥାନୀୟ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ଯଦି ସମୟ ଥାଉଁ ଥାଉଁ ପ୍ରାଚୀ ନଦୀର ସୁରକ୍ଷା ପାଇଁ ପଦକ୍ଷେପ ନିଆ ନଯାଏ, ତେବେ ଆଗାମୀ ଦିନରେ ଏହି ଐତିହାସିକ ନଦୀ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ।
ଜବରଦଖଲ ଯୋଗୁଁ ବିପର୍ଯ୍ୟସ୍ତ ହୋଇଛି ପ୍ରାଚୀ ନଦୀର ଅସ୍ଥିତ୍ୱ !!!

