ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆସନ୍ତା ରଥ ଓ ବାହୁଡା଼ ଯାତ୍ରା ସୁପରିଚାଳନା ପାଇଁ ବାଙ୍କୀ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ମୋନୋସ୍ୱିନୀ ଦାସଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଙ୍କୀ ରଥ ଯାତ୍ରା କମିଟି, ଶ୍ରୀ ଶ୍ରୀ ମହିମାମଣି ଦେବ ବିଜେ ରଥ କମିଟି ରଗଡି,ଶ୍ରୀ ଶ୍ରୀ ତୃତୀୟା ଦେବ ରଥ କମିଟି, ସୁବର୍ଣପୁର,ଶ୍ରୀ ଶ୍ରୀ ଦେବଗିରି ପୀଠ ରଥ କମିଟି, ବରପୁଟ ଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ରଥ କମିଟି ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ମା’ ଚର୍ଚ୍ଚିକାଙ୍କ ପୀଠରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆସି ଐଶାନ୍ୟସ୍ଵର ମହାଦେବଙ୍କ ପୀଠ ନିକଟରେ ମାଉସୀମା ମନ୍ଦିର ଠାରେ ବାହୁଡା ଯାତ୍ରା ପର୍ଯ୍ୟନ୍ତ ନବଦିନ ବ୍ୟାପି ଅବସ୍ଥାପନା କରିବେ । ରଥ ଯିବା ଆସିବା ନିମନ୍ତେ ବାଟରେ ଥିବା ଗଛ ଡାଳ କଟାଯିବା, ରାସ୍ତାକଡରେ ଗଦା ହୋଇଥିବା ବାଲିଗୋଡି ତଥା ଅବରୋଧ ହଟାଇବା ଓ ଡ୍ରେନ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ ବାଙ୍କୀ ପୂର୍ତ୍ତ ବିଭାଗ ଓ ଏନଏସିକୁ ନିର୍ଦ୍ଦେଶ ଦିଆଯାଇଛି। ରଥ ଯିବା ରାସ୍ତାରେ ଅପରାହ୍ନରେ ବିଦ୍ୟୁତ ତାର ବିଚ୍ଛିନ୍ନ ଏବଂ ରଥଟଣା ଶେଷ ହେବା ପରେ ବିଦ୍ୟୁତ ତାର ସଂଯୋଗ କରିବା ନିମନ୍ତେ ଟାଟା ଏସ.ଡି.ଓ ଙ୍କୁ ଅନୁରୋଧ କରାଯାଇଥିଲା। ରଥ ଟଣା ସମୟରେ ଟେଲିଫୋନ ତାର ଓ କେବୁଲ ତାର କଟାଯାଇ ରଥ ଟଣା ଶେଷ ପରେ ସଂଯୋଗୀକରଣ କରାଯିବା ପାଇଁ ସ୍ଥିର କରାଯାଇଥିଲା। ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ରଥ ଟଣା ରାସ୍ତାକୁ ବିଚିଂ ପାଉଡର ପକାଇ ସଫା କରିବା ନିମନ୍ତେ ବାଙ୍କୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି। ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାରେ ପ୍ରବଳ ଜନ ସମାଗମ ଦୃଷ୍ଟିରୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଏହି ସମୟରେ ବାଙ୍କୀ ଉପଖଣ୍ଡର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକଙ୍କୁ ଅନୁରୋଧ କରଯାଇଛି। ଆଇନ ଶୃଙ୍ଖଳା ରକ୍ଷାପାଇଁ ଉପଖଣ୍ଡ ପୋଲିସ ଅଧିକାରୀ , ବାଙ୍କୀ ଥାନା ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଜାଗ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି। ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବାଳକୃଷ୍ଣ କଂହର, ବାଙ୍କୀ ଥାନା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମର୍ଦରାଜ ଭୂୟାଁ, ଡେ଼ପୁଟି କଲେକଟର ଅଶ୍ୱିନୀ କୁମାର ନାୟକ, ବାଙ୍କୀ ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ବାଙ୍କୀ ରଥ କମିଟି ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ,କାର୍ଯ୍ୟକାରୀ ସଭାପତି ଆଡଭୋକେଟ ସନ୍ତୋଷ ରଣା, ସମ୍ପାଦକ ଯୁଗଳ କିଶୋର ଭୂତ,ରଗଡି ଶ୍ରୀ ଶ୍ରୀ ମହିମାମଣି ଦେବ ବିଜେ ଟ୍ରଷ୍ଟି ଭୃଗୁରାମ ରାଉତ, ସୁବର୍ଣପୁର ରଥ କମିଟି ସଭାପତି ରମେଶ ଚନ୍ଦ୍ର ସେଠି, ବରପୁଟ ରଥ କମିଟି ସଦସ୍ୟଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ବାଙ୍କୀ ଉପଖଣ୍ଡରେ ରଥଯାତ୍ରା ସୁପରିଚାଳନା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ !!!

