୧୬ ଜାତୀୟ ରାଜପଥ ନାଚୁଣୀ ହରିପୁର ଷଣ୍ଢ ଛକଠାରେ ଦନ୍ତାହାତୀର ଆତଙ୍କ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥ ନମ୍ବର ୧୬ର ନାଚୁଣୀ ନିକଟସ୍ଥ ହରିପୁର ଷଣ୍ଢ ଛକଠାରେ ଏକ ଦନ୍ତାହାତୀର ଉପସ୍ଥିତିକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍ସୁକତା ଦେଖାଦେଇଥିଲା। ହାତୀଟି ରାସ୍ତା ନିକଟସ୍ଥ ଜଙ୍ଗଲକୁ ଚାଲି ଆସିଥିବାରୁ ଜାତୀୟ ରାଜପଥରେ ପ୍ରାୟ ଏକ ଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା। ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ପାଇଁ ନାଚୁଣୀ ପୋଲିସ ଓ ଟାଙ୍ଗୀ ବନ ବିଭାଗକୁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଗୋଟିକିଆ ଦନ୍ତାହାତୀ ନିଜ ଦଳରୁ ବିଚ୍ଛିନ୍ନ ହୋଇ ହରିପୁର ଷଣ୍ଢ ଛକ ନିକଟସ୍ଥ ଆକାଶିଆ ଜଙ୍ଗଲକୁ ଚାଲି ଆସିଥିଲା। ଜାତୀୟ ରାଜପଥ ନିକଟରେ ହାତୀକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ଜାତୀୟ ରାଜପଥରେ ଶହ ଶହ ଯାନବାହନ ଚଳାଚଳ ସହ ଲୋକଙ୍କ ଯାତାୟାତ ଜାରି ରହିଥିବାରୁ କୌଣସି ଅଘଟଣ ଆଶଙ୍କାରେ ନାଚୁଣୀ ପୋଲିସ ଅଧିକାରୀ ବିଭୂତି ଭୂଷଣ ମହାପାତ୍ର ଏବଂ ଟାଙ୍ଗୀ ବନାଞ୍ଚଳର କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ହାତୀଟି ଯାନବାହନର ଆଲୋକରେ ଉତ୍ତେଜିତ ହେବା ଆଶଙ୍କାରେ ପୋଲିସ ପକ୍ଷରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଅଟକାଇ ଆଲୋକ ବନ୍ଦ କରାଯାଇଥିଲା। ଏଥିସହିତ ରାସ୍ତାରେ ଯାତାୟାତକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା। ପରେ ବନ ବିଭାଗ ଓ ପୋଲିସ ପକ୍ଷରୁ ହାତୀଟିକୁ କଇଥପଲ୍ଲା ଜଙ୍ଗଲ ମଧ୍ୟକୁ ନେବା ପାଇଁ ଏକ ସୁରକ୍ଷିତ କରିଡର ପ୍ରସ୍ତୁତ କରାଯାଇଥିଲା। ଶେଷରେ ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଦିଆଯାଇଥିଲା । ଏହାପରେ ରାତି ପ୍ରାୟ ୯ଟା ପରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ପୋଲିସ ଓ ବନ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ସମ୍ଭାବ୍ୟ ଅଘଟଣ ଟଳିଯାଇଥିଲା ।

Leave a Reply

Your email address will not be published. Required fields are marked *