ବିଭାଗୀୟ ଅଧିକାରୀଙ୍କୁ ଦରକାର ଏପରି ଜେସା କୁ ତେସା ନୀତି
ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି । ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବା ଜଣାପଡିଛି । ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀ ଲଗାଣ ବର୍ଷା ଯୋଗୁଁ ଫୁଲି ଉଠିଛି । ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି । ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଦୈନିକ ଯାତାୟାତ କରନ୍ତି । ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତାଟିକୁ ସଂପୂର୍ଣ୍ଣ କଟା ଯାଇଥିଲା । କିନ୍ତୁ ଏହାର ସ୍ଥାୟୀ ଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆ ଯାଇଥିଲା । ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ଫିଟି ଯାଇଥିଲା । ଲୋକଙ୍କୁ ଚାଲିକି ଯିବା ପାଇଁ ସଂମ୍ଭବ ହୋଇ ପାରୁନାହିଁ । ରାସ୍ତାରେ ପାଣି କାଦୁଅ ପୂର୍ଣ୍ଣ ହୋଇ ରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ ହୋଇ ପାରିନଥିଲା । ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥିଲେ । ସେହି ସମୟରେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ଯାହାଦ୍ୱାରା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ । ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଶୀଘ୍ର ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

