ପୁରୀରେ ଅଷ୍ଟ୍ରେଲିଆନ ଅଙ୍ଗୁର….

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀର ସମୁଦ୍ରକୂଳ,ଲୁଣିଆ ଅଂଚଳରେ ଅଙ୍ଗୁର ଗଛ। ଆଉ ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଅଷ୍ଟ୍ରେଲିଆନ ଅଙ୍ଗୁର। ବିଶ୍ୱାସ ନ ହେଉଥିଲେ ବି ଘଟଣାଟି ସତ। ସହରର ପେଣ୍ଠକଟା ବେହେରା ସାହି ଘନଶ୍ୟାମ ବେହେରାଙ୍କ ବାଡ଼ିରେ ଅଷ୍ଟ୍ରେଲିଆନ ଅଙ୍ଗୁର ଗଛ ହୋଇଛି। ଆଉ ସେଥିରେ ଝୁଲିଛି ମାଳ ମାଳ ଅଙ୍ଗୁର ପେନ୍ଥା। ଘନଶ୍ୟାମଙ୍କ ୨୦୦ ବର୍ଗଫୁଟ ବାଡ଼ିରେ ଭଳିକି ଭଳି ବିଭିନ୍ନ ପ୍ରକାର ଗଛ ସହ ଏହି ଅଷ୍ଟ୍ରେଲିଆନ ଅଙ୍ଗୁର ଗଛ ଲାଗିଛି। ସ୍ଥାନୀୟ ବାସିନ୍ଦାଙ୍କ ସହ ସହରବାସୀ ଓ ବିଶେଷ କରି ଛୋଟ ଛୋଟ ପିଲା ଏହା ଦେଖିବା ପାଇଁ ତାଙ୍କ ଘରେ ଭିଡ ଲଗାଇଛନ୍ତି। ରାଜମିସ୍ତ୍ରୀ ଭାବେ କାମ କରୁଥିବା ଘନଶ୍ୟାମ ବେହେରାଙ୍କୁ ତାଙ୍କ ପଡୋଶୀ ବାବାଜୀ ଆନ୍ଧ୍ରପ୍ରଦେଶ ଯିବା ପୂର୍ବରୁ ଏହି ଅଙ୍ଗୁର ଗଛକୁ ଦେଇ ପଳାଇଥିଲେ। ତାପରେ ଘନଶ୍ୟାମ ଅତି ଯତ୍ନର ସହ ଅଙ୍ଗୁର ଗଛକୁ ବଢ଼ାଇଥିଲେ । ବାଉଁଶ ଓ ବଲାରେ ଭାଡ଼ି ତିଆରି କରି ପୁରୁଣା ମାଛ ଜାଲ ଘୋଡାଇ ଗଛର ଯତ୍ନ ନେଇଥିଲେ । ଲତା ଭଳି ଅଙ୍ଗୁର ଗଛ ମାଡି ମାଳ ମାଳ ଅଙ୍ଗୁର ଝୁଲିଛି। ଗୋଟିଏ ପେନ୍ଥାରେ ଅନୁନ୍ୟ ୪୦ଟି ଅଙ୍ଗୁର ରହିଛି। କଳା ଓ ଇଶତ ଗୋଲାପି ରଙ୍ଗର ଏହି ଅଙ୍ଗୁରକୁ ଅଷ୍ଟ୍ରେଲିଆନ ଅଙ୍ଗୁର କହୁଛନ୍ତି। ୨୦୨୦ ସାର ଓ କିଛି ପିଡ଼ିଆ ବ୍ୟବହାର କରି ବାଲି ଅଂଚଳ ହୋଇଥିଲେ ହେଁ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିଛି।ନିଜ ବୁଦ୍ଧିରେ ପିଡ଼ିଆ, ସାର ଦେଇ ଗଛକୁ ବଢାଇବା ପରେ ସେହି ଗଛରେ ୬ ମାସ ହେବ ମାଳ ମାଳ ଅଙ୍ଗୁର ପେନ୍ଥା ଫଳୁଛି । ପୁରୀ ପାଣିପାଗରେ ଏଭଳି ଅଙ୍ଗୁର ଫଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି। ଆଉ ଏହି ଗଛ ଦେଖିବା ସହ ମିଠା ଅଙ୍ଗୁର ଖାଇବା ପାଇଁ ଛୋଟ ଛୋଟ ପିଲାଙ୍କ ବେଶ ଭିଡ଼ ଲାଗୁଛି। ତେବେ କୃଷି କିମ୍ବା ଉଦ୍ୟାନ ବିଭାଗର କୌଣସି ଅଧିକାରୀ ଏଯାଏଁ ଏହି ଅଙ୍ଗୁର ଗଛ ଦେଖିବାକୁ ଆସୁନାହାନ୍ତି।ଉପଯୁକ୍ତ ପରାମର୍ଶ ମିଳିଲେ ଏହା ଅନ୍ୟ ଚାଷୀଙ୍କ ପାଇଁ ମଧ୍ୟ ଉପାର୍ଜନର ବାଟ ଦେଖାଇବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *