ବାଙ୍କୀ ଡବଲ ମର୍ଡର ଘଟଣାକୁ ବିତିବ ଏକ ବର୍ଷ : ପବିତ୍ର ଦଶାଶ୍ୱମେଧ ଘାଟରେ ସାମ୍ବାଦିକ ଆଦିତ୍ୟଙ୍କୁ ଅନ୍ତିମ ବିଦାୟ ଦେଲେ ଆତ୍ମୀୟ ସ୍ୱଜନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) ବ୍ୟୁରୋ ରିପୋର୍ଟ : ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୄଷ୍ଟି କରିଥିବା ବାଙ୍କୀର ଡବଲ ମର୍ଡର ଘଟଣାକୁ ଏକ ବର୍ଷ ବିତିବାକୁ ଯାଉଛି . ରାଜନୈତିକ କାରଣକୁ ନେଇ ସଂଗଠିତ ହୋଇଥିବା ଏହି ସଂଘବଦ୍ଧ ଆକ୍ରମଣ ଏବଂ ହତ୍ୟା ଘଟଣାରେ ତେର ଜଣ ଅଭିଯୁକ୍ତ ଗିରଫ ହୋଇ ଚୌଦ୍ୱାର ସର୍କଲ ଜେଲ ରେ ଥିବା ସମୟରେ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ତିନି ଜଣ ଆରୋପି ଏବେ ସୁଦ୍ଧା ଫେରାର ଅଛନ୍ତି .

ହତ୍ୟାକାଣ୍ଡ ଘଟଣାକୁ ଏକ ବର୍ଷ ପୂରିବାକୁ ଆଉ ଦିନ କେଇଟା ବାକି ଅଛି . ହେଲେ ପରିବାର ଲୋକ ଏବଂ ଗ୍ରାମବାସୀ ଏବେ ସୁଦ୍ଧା ଭୁଲି ପାରିନାହାନ୍ତି ସେହି କଳା ଦିନର କ୍ରୁର ଘଟଣା . ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଥାନା ଅନ୍ତର୍ଗତ ଖଜୁରୀପଦା ଗ୍ରାମରେ ଏବେ ସୁଦ୍ଧା ଲାଗି ରହିଛି ଅଶାନ୍ତି ଏବଂ ଉତ୍ତେଜନା . ହତ୍ୟାକାଣ୍ଡର ଶୀକାର ହୋଇଥିବା ସାମାଜିକ କର୍ମୀ ଭଗବାନ ସ୍ୱାଇଁଙ୍କ ପତ୍ନୀ ତଥା ନୂଆଗାଁ ପଞ୍ଚାୟତର ସରପଞ୍ଚ ମମତା ମହାପାତ୍ର ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଦାବୀ କରିଥିବା ସମୟରେ , ହତ୍ୟାକାଣ୍ଡର ଶୀକାର ହୋଇଥିବା ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ପରିବାର ଲୋକେ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ପ୍ରଦାନ ପାଇଁ ଦୃଢ ଦାବୀ କରିଛନ୍ତି .

ବାଙ୍କୀ ଖଜୁରୀପଦା ପାଇଁ 2020 ମସିହା ଫେବୃଆରୀ 15 ତାରିଖ ନେଇ ଆସିଥିଲା ଅଭିଶପ୍ତ ମୁହୂର୍ତ୍ତ . ଅପରାଧୀଙ୍କ ଅତର୍କିତ ଆକ୍ରମଣର ଶୀକାର ହୋଇ ଝରି ପଡିଥିଲା ଦୁଇଟି ଜୀବନ . ଏପରି ବର୍ବର ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଥିଲା . ତତ୍କାଳୀନ ବାଙ୍କୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ କେଶ ର ତଦନ୍ତ ଦାୟିତ୍ୱ ନେବା ପରେ ଅପରାଧୀ ମାନଙ୍କୁ ଗିରଫ କରି ନିର୍ଦ୍ଧାରିତ ସମୟରେ ମାନ୍ୟବର ଅଦାଲତଙ୍କ ପାଖରେ ଚାର୍ଜସିଟ ଦାଖଲ କରିଥିଲେ . ହେଲେ ଗିରଫ ହୋଇ ପାରିଲାନାହିଁ ମୁଖ୍ୟ ଅଭିଯୁକ୍ତ . ଯାହାକୁ ନେଇ ଏବେ ସୁଦ୍ଧା ଲାଗି ରହିଛି ଜନ ଅସନ୍ତୋଷ . ଅନ୍ୟ ପକ୍ଷରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ମାନଙ୍କର ଜାମିନ ଆବେଦନକୁ ମାନ୍ୟବର ନ୍ୟାୟାଳୟ ଖାରଜ କରିଛନ୍ତି .

ପୁଅ କୁ ହରାଇ ବାହୁନି କାନ୍ଦୁଛି ମା , ସ୍ୱାମୀ କୁ ହରାଇଥିବା ମମତାଙ୍କ ଆଖିରୁ ଶୁଖୁନି ଲୁହ , ସାଙ୍ଗସାଥି ଗାଁ ଗଣ୍ଡା ଭାଇ ବନ୍ଧୁ ଝୁରୁଛନ୍ତି ଉଭୟଙ୍କୁ . ହେଲେ ଗଡି ଚାଲିଛି ସମୟ . ବିତିବାରେ ଲାଗିଛି ଦିନ ପରେ ଦିନ . କୋର୍ଟ କଚେରୀରେ ନ୍ୟାୟିକ ପ୍ରକ୍ରିୟା ଚାଲିବ . ସାକ୍ଷ୍ୟ ପ୍ରମାଣ ନଥିପତ୍ରରେ ଘୁରି ବୁଲିବ ବିଚାର ପ୍ରକ୍ରିୟା . କିନ୍ତୁ କେହି ଫେରାଇ ପାରିବେନି ମା କୁ ପୁଅ . ବର୍ଷ ବିତିବାକୁ ବସିଥିବା ବେଳେ ସାମ୍ବାଦିକ ଆଦିତ୍ୟଙ୍କର ଅସ୍ଥି କଳସ ବିସର୍ଜନ କରିଛନ୍ତି ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ . ବିରଜା କ୍ଷେତ୍ର ଯାଜପୁର ସ୍ଥିତ ପବିତ୍ର ବୈତରିଣୀ ନଦୀର ଦଶାଶ୍ୱ ମେଧ ଘାଟରେ ତିଳ ତର୍ପଣ ଓ ପିଣ୍ଡଦାନ ସମାପ୍ତ ହୋଇଛି . ପୁରା ଖଜୁରୀପଦା ଗ୍ରାମରେ ଛାତିରୁ ଥମି ନଥିବା କୋହ ଏବଂ ଆଖିରୁ ଶୁଖୁ ନଥିବା ଲୁହ ଗୋଟିଏ କଥା କହୁଛି – କେବଳ ନ୍ୟାୟ !!!

Leave a Reply

Your email address will not be published. Required fields are marked *