ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଜିଲ୍ଲା ସଂସ୍କୃତି ଭବନ ଠାରେ ପ୍ରଥମ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି – ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ରାଜ୍ୟ କଳା ସଂସ୍କୃତି ସଂଘର ଉପ-ସଭାପତି ଅବନୀ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲୋକକଳା ଏହାର ଆବଶ୍ୟକତା ଓ ସଂଯମତାକୁ ନେଇ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇଥିବାରୁ ସମଗ୍ର ଓଡ଼ିଶାରେ ଲୋକକଳା ଓ କଳାକାର ଅଧୁକ କ୍ରିୟାଶୀଳ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ପ୍ରମୋଦ କୁମାର ଦଳବେହେରା ଲୋକକଳାର ବିଭବ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକୁ ସ୍ୱାଇଁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଭୁବନ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଅଶୋକ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ବ୍ଲକରୁ ମନୋନୀତ ହୋଇ ଆସିଥିବା ଲୋକ କଳା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆର୍ଯ୍ୟରତ୍ନ ଚକ୍ରଧର ସାହୁ , ଯାମିନୀ ରଞ୍ଜନ ଦାସ ଏବଂ ଡମ୍ବରୁଧର ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବିଭିନ୍ନ ବ୍ଲକର ଉପ-ସଭାପତି ଦୁର୍ଯ୍ୟଧନ ଜେନା , ତରୁଣ କୁମାର ପାତ୍ର , ବିମଳ କୁମାର ବିଶ୍ୱାଳ , ସନ୍ତୋଷ କୁମାର ସ୍ୱାଇଁ , କପିଳେଶ୍ୱର ବେହେରା , ପ୍ରଭାକର ନାଥ , ବିଭୁତି ଭୂଷଣ ବିଶ୍ୱାଳ ଏବଂ ଅଶୋକ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବ୍ଲକରୁ ପାଇକ ଖେଳ , ଦଣ୍ଡ , ପାଲା , ଆଦିବାସୀ ନୃତ୍ୟ , ଖଞ୍ଜଣୀ ଭଜନ ପ୍ରମୁଖ ନୃତ୍ୟ ପରିବେଷଣ ହୋଇଥିଲା । ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତାରେ ଭାଗ ନେବେ । ପରିଶେଷରେ ଉପସ୍ଥିତ କଳାକାର ବୃନ୍ଦ ଓ ଉପସଭାପତି , ସଂଯୋଜକ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା !!!

